ସଂସ୍କୃତିବିହାର ସୃଷ୍ଟି ହୋଇଥିଲା ନାଟକ ଅଭିନୟରୁ | ଭାରତବର୍ଷର ନାଟ୍ୟ ପରମ୍ପରା ବହୁ ପ୍ରାଚୀନ | ଲୋକଶିକ୍ଷା ଓ ଗଣଚେତନାର ପ୍ରଧାନ ମାଧ୍ୟମ ହେଲା ନାଟକ | ନାଟକ ଜରିଆରେ ଚରିତ୍ର ବିଶ୍ଲେଷଣ କରାଯାଏ, ସମାଜର ରୀତିନୀତିର ଅନୁଧ୍ୟାନ କରାଯାଏ ଏବଂ ସମାଜକୁ ସୁଧାରିବାକୁ ଚେଷ୍ଟା କରାଯାଏ | ସମାଜଚଳଣିରେ ନାଟ୍ୟ ପ୍ରଦର୍ଶନର ଐତିହାସିକ ଭୂମିକାର ସନ୍ଧାନ ସଂପୂର୍ଣ୍ଣ ହୋଇନାହିଁ|
ସଂସ୍କୃତିବିହାରର ପ୍ରଥମ ଅବଦାନ ଥିଲା ଏକ କ୍ଷୁଦ୍ର ଏକାଙ୍କିକା “ଅନଳ” | ଅନଳର ଶିଖାପରି ଦାରିଦ୍ର୍ୟର ତାଡନାରେ ପରିବାରରେ ମାନସିକ ବିଶୃଙ୍ଖଳା ଓ ପଶ୍ଚାତାପ ଏ’ ଏକାଙ୍କିକାର ବିଷୟବସ୍ତୁ ଥିଲା | ଲେଖକ ନିର୍ଦ୍ଦେଶକ ଶ୍ରୀ ଜଗନ୍ନାଥପ୍ରସାଦ ଦାସ ଏ’ ଏକାଙ୍କିକାର କାହାଣୀ ଲାଗି ଉଚ୍ଚ ପ୍ରଶଂସିତ ହୋଇଥିଲେ | ପରବର୍ତ୍ତୀ ସମୟର ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତା ଶ୍ରୀ ପ୍ରଶାନ୍ତକୁମାର ନନ୍ଦ ଏହି ଏକାଙ୍କିକାରେ ଅଭିନୟ କରିଥିଲେ |
ପରବର୍ତ୍ତୀଆକର୍ଷଣ ଥିଲା ଏକାଙ୍କିକା “ରାଣା ପ୍ରତାପ” | ବର୍ତ୍ତମାନର ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଶ୍ରୀ ବିଶ୍ଵଭୁଷଣ ହରିଚନ୍ଦନଙ୍କର ଲେଖା ଓ ନିର୍ଦ୍ଦେଶନା | ୧୯୬୩ ମସୀହାରେ ସେ’ କଟକର ଖ୍ରୀଷ୍ଟ କଲେଜ୍ ରେ ଅଧ୍ୟାପନା କରୁଥିଲେ | ଶିଳ୍ପୀ ଶ୍ରୀ ଶୁଭାଞ୍ଜନ ମହାନ୍ତି ଏ’ ଏକାଙ୍କିକାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ | ରାଣାପ୍ରତାପଙ୍କର ସାହସ ଓ ବୀରତ୍ଵର କାହାଣୀ କିଶୋରପ୍ରାଣକୁ ଉଦ୍ବୁଦ୍ଧ କରିଥିଲା |
କବିଚନ୍ଦ୍ର କାଳିଚରଣପଟ୍ଟନାୟକଙ୍କ୍ର ପ୍ରେରଣାରେଏବଂ ପ୍ରଗାଢ କର୍ମୀ ଶ୍ରୀ ଚନ୍ଦ୍ରଶେଖର ମିଶ୍ରଙ୍କର ସଂଗଠନରେ ସଂକୃତିବିହାରର ପରବର୍ତ୍ତୀ ଅର୍ଘ୍ୟ ଥିଲା ମହାକବି କାଳିଦାସଙ୍କର ରଚିତ କାବ୍ୟ “ଇନ୍ଦୁମତୀ” ର ନୃତ୍ୟସଂଯୋଜନା | କଟକ ସହରରେ ଅବସ୍ଥିତ ସମସ୍ତ ପ୍ରତିଷ୍ଠିତ ନୃତ୍ୟ ଓ ସଂଗୀତଶିଳ୍ପୀ ଏହି ନୃତ୍ୟପରିବେଷଣରେ ସହଯୋଗ କରିଥିଲେ | ଗୁରୁ ଶ୍ରୀ କେଳୁଚରଣ ମହାପାତ୍ର ଓ ଗୁରୁ ଶ୍ରୀ ମାୟାଧର ରାଉତ ନୃଟ୍ୟ ନିର୍ଦ୍ଦେଶନା ଦେଇଥିଲେ | ସଂଗୀତଶିଳ୍ପୀ ପଣ୍ଡିତ ଭୁବନେଶ୍ଵର ମିଶ୍ର ଓ କଣ୍ଠଶିଳ୍ପୀ ଗୁରୁ ବାଳକୃଷ୍ଣ ଦାଶ ନାଟିକାର ସଂଗୀତ ପରିଚାଳନା କରିଥିଲେ | ଓଡିଶାର ମୌଳିକ ପର୍ବ ରଜସଂକ୍ରାନ୍ତି ଉପଲକ୍ଷରେ ୧୯୬୪ ମସୀହାର ଗ୍ରୀଷ୍ମ ଅବକାଶରେ ଏହା ପରିବେଷିତ ହୋଇଥିଲା | କଳାର ଉତ୍ସବରେ ଜନତା ରଙ୍ଗମଞ୍ଚ ଆନନ୍ଦ ମୁଖରିତ ହୋଇଥିଲା |
୧୯୬୫ ଓ ୧୯୬୬ ମସୀହାରେ ଭାରତବର୍ଷ ସୀମାନ୍ତରେ ପାକିସ୍ତାନର ଆକ୍ରମଣ ପରେ ସଂସ୍କୃତିବିହାର ଜବାନ୍ ମାନଙ୍କ ସାହାଯ୍ୟାର୍ଥେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲା | ଓଡିଶା ସମାଜରେ ଏହା ଥିଲା ଏକ ଅବ୍ୟବସ୍ଥିତ ସମୟ |
୧୯୬୬ ମସୀହାକାର୍ତ୍ତିକପୂର୍ଣ୍ଣମୀ ଠାରୁସଂସ୍କୃତିବିହାରର ନୂତନ ଯୁଗ ଆରମ୍ଭ ହେଲା | ଓଡିଆ ସଂସ୍କୃତି ସନ୍ଧାନରେ ଚିରାଚରିତ ବାଲିଯାତ୍ରା ପର୍ବ ଆନୁକୂଲ୍ୟରେ ନାଟ୍ୟପରିବେଷଣ ଏ ଉଦ୍ୟମର ଅନ୍ତର୍ଭୁକ୍ତ | ପ୍ରସିଦ୍ଧ ମଞ୍ଚନିର୍ମାତା ଶ୍ରୀ ଧୀରେନ୍ ଦାଶଙ୍କର ତତ୍ତ୍ଵାବଧାନରେ କଟକ ସହରର ବାରବାଟି ଦୁର୍ଗ ପ୍ରାଙ୍ଗଣରେ “ବିରାଟ ପ୍ରେକ୍ଷା” ମଞ୍ଚର ସଂଗଠନ ହେଲା | ବରିଷ୍ଠ ସାମ୍ବାଦିକ ଶ୍ରୀ ବିଜୟକେତନ ମଙ୍ଗରାଜ, ନାଟ୍ୟକାର ଶ୍ରୀ ନରସିଂହ ମହାପାତ୍ର, ଶାସନ ସଚିବ ଶ୍ରୀ ଶ୍ୟାମସୁନ୍ଦର ପରିଜା ଓ ଶ୍ରୀ ଗୋପୀକୃଷ୍ଣ ଦାସ ଏ ଉଦ୍ୟମରେ ସଂସ୍କୃତିବିହାର ସହିତ ତାଳ ଦେଲେ | ବାଲିଯାତ୍ରା ଉତ୍ସବର ପ୍ରଥମ ଦିବସ ନଭେମ୍ବର ୨୨ ତାରିଖ ଦିନ ସଂସ୍କୃତିବିହାର ତରଫରୁ ଗଣକବି ବୈଷ୍ଣବଚରଣ ପାଣି ଙ୍କ ଦ୍ଵାରା ଲିଖିତ “ବିରାଟ ଗୋଧନହରଣ” ଗୀତିନାଟ୍ୟ ପରିବେଷିତ ହେଲା | ବିଶିଷ୍ଟ କବି ଓ ସମାଜସେବୀ ଶ୍ରୀ ମନମୋହନ ମିଶ୍ର ଏହାକୁ ଉଦ୍ଘାଟନ କଲେ | ଆତସବାଜି, ରଥ, ଘୋଡା, ହାତୀ ଏବଂ ସୁମଧୁର ସଂଗୀତ ଓ ଚିତ୍ତାକର୍ଷକ ଅଭିନୟରେ ଜନାକୀର୍ଣ୍ଣ ଦୁର୍ଗ ପଡିଆରେ ଆନନ୍ଦ ଛାଇଗଲା | ସଂଗୀତଗୁରୁ କିଶୋରକବି ଶ୍ରୀ ଶ୍ୟାମସୁନ୍ଦର କର ଏବଂ ସ୍ଵର୍ଗତ ବୈଷ୍ଣବ ପାଣିଙ୍କର ସହକର୍ମୀ ଅଭିନେତା ଶ୍ରୀ କୃଷ୍ଣଚନ୍ଦ୍ର ପାଣ୍ଡେ ଙ୍କର ପୂର୍ଣପ୍ରାଣ ସହଯୋଗ ଏ’ ଉଦ୍ୟମକୁ ସଫଳ କଲା | ଏହି ପରିବେଷଣରେ ଅଭିନୟ କରିଥିବା ଶିଳ୍ପୀ ଶ୍ରୀ ସ୍ଵରୂପନନ୍ଦନ ନାୟକ ପରବର୍ତ୍ତୀ କାଳରେ ଓଡିଆ ଚଳଚ୍ଚିତ୍ର ଜଗତରେ ସଂଗୀତନିର୍ଦ୍ଦେଶକ ଭାବରେ ଖ୍ୟାତି ଲାଭ କରିଛନ୍ତି |
ଏହା ପରର ଅନେକ ପ୍ରଚେଷ୍ଟା କାର୍ଯ୍ୟକ୍ରମ ପୃଷ୍ଠାରେ ସୂଚୀବଦ୍ଧ କରାଯାଇଅଛି | ସବୁ ପ୍ରସ୍ତୁତି ସ୍ଵତନ୍ତ୍ର ଓ ଅନନ୍ୟ | ସଂସ୍କୃତିବିହାରର ଶ୍ରୀ ଚନ୍ଦ୍ରଶେଖର ମିଶ୍ରଙ୍କର ଲିଖିତ ଅନେକ ରଚନା ବିଭିନ୍ନ ଉତ୍ସବରେ ସଂଗଠନ କରାଯାଇଅଛି | ଅଧ୍ୟାପକ ଶ୍ରୀ ସରୋଜକୁମାର ସିଂହ ଓ ଅଧ୍ୟାପକ ଶ୍ରୀ ନିର୍ମଳକାନ୍ତି ସେନ୍ ସଂଗୀତ ସଂଯୋଜନାରେ ପାରଦର୍ଶିତା ଲାଭ କରିଛନ୍ତି | ମଞ୍ଚଶିଳ୍ପୀ ଶ୍ରୀ ନାରାୟଣ ସିଂହ ନିର୍ଦ୍ଦେଶକ ଶ୍ରୀ ଧୀରେନ୍ ଦାଶ ଙ୍କର ଶିକ୍ଷାରେ ସଂସ୍କୃତି ବିହାର ନାଟ୍ୟ ସଂଯୋଜନା ଜାରି ରଖିଛନ୍ତି ଓ ପୁରସ୍କୃତ ହୋଇଛନ୍ତି |