ସଂସ୍କୃତି ବିହାର

 

ଅଭିନୟ, ସଂଗୀତ, ବାଦ୍ୟ,ନୃତ୍ୟ ଓ ଚିତ୍ର ହେଲେ ସମାଜର କଳା – ଏ’ ସମସ୍ତେ ମିଶି ନାଟ୍ୟ ସୃଷ୍ଟି କରନ୍ତି | ନାଟ୍ୟର ସୃଷ୍ଟି ଭାରତବର୍ଷରେ ବହୁତ ପୁରୁଣା | ଭାରତବର୍ଷର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ନାଟ୍ୟ ପରମ୍ପରା ଏବେ ମଧ୍ୟ ସୁରକ୍ଷିତ ରହି ପ୍ରଚଳିତ ହେଉଅଛି |

ଓଡିଶାଦେଶର ପବିତ୍ର ଭୂଇଁରେ ଶ୍ରୀଜଗନ୍ନାଥ ହେଲେ କଳାର ଅବତାର | ତାଙ୍କର ସମସ୍ତ ପର୍ବ ସମାଜରେ ଲୋକୋତ୍ସବ ଭାବରେ ପାଳିତ ହୋଇଥାଏ | ଏହାକୁ ଓଡିଆରେ “ଯାତ୍ରା” କୁହାଯାଏ | ଦୋଳଯାତ୍ରା, ସ୍ନାନଯାତ୍ରା, ରଥଯାତ୍ରା - ଏପରି ଅନେକ | ଏ ସବୁରେ ଆମକୁ ନାଟ୍ଯପରମ୍ପରାର ମଞ୍ଚସଜ୍ଜା, ପରିପାଟୀ, ବେଶଭୂଷା ଓ ସଂଗୀତନୃତ୍ୟ ସମାରୋହର ଦୃଶ୍ୟ ମିଳିଥାଏ | ଏହି ଯାତ୍ରା ସମାଗମରୁ ସମାଜ କ୍ରମାଗତ ଭାବରେ ନିଜର ଦକ୍ଷତା, କୌଶଳ ଓ କଳାପାରଦର୍ଶିତା ପ୍ରଦର୍ଶନ କରିଥାଏ |

ଏ’ ସାଂସ୍କୃତିକ ଯାତ୍ରାର ଭିତ୍ତିଭୂଇଁ ହେଲା କଟକ ସହର | ବାଣିଜ୍ୟଗତ ସମ୍ଭାରରେ ଭରପୂର ହୋଇ ସୁନାର କଟକ ବହୁ ପ୍ରାଚୀନ କାଳରୁ ଓଡିଶାଦେଶର କଳାଦକ୍ଷତା ଓ ସଂସ୍କୃତିଶାଳୀନତାର ପ୍ରାଣକେନ୍ଦ୍ର ହୋଇ ଗଢିଆସିଛି | ପରାଧୀନତା ସମୟରେ ବିଦେଶୀ ଅତ୍ୟାଚାରରେ ଏହି ପ୍ରାଣରେ ଚଡକ ପଡିଥିଲେ ମଧ୍ୟ ସ୍ଵାଧୀନତା ପରେ ପୂର୍ବସ୍ମୃତି ପୁଣି ଜାଗରିତ ହୋଇଛି | ଓଡିଶୀ ନୃତ୍ୟ, ଓଡିଶୀ ଚିତ୍ର, ଓଡିଶୀ ବସ୍ତ୍ର ଓ ଓଡିଆ ଲୋକପରମ୍ପରାର ଆଦର ଦେଶ ବିଦେଶରେ ବଢିଚାଲିଛି |

କଟକସହରର ବର୍ତ୍ତମାନ ସୌଖିନ୍ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ମଧ୍ୟରେ ସଂସ୍କୃତିବିହାର ସବୁଠାରୁ ପୁରୁଣା ଓ ସବୁଠାରୁ ମୌଳିକ | ଛାତ୍ରଜୀବନରୁ ଏ’ ଅନୁଷ୍ଠାନର ସୃଷ୍ଟି ଏବଂ ସେହି ମୂଳକର୍ମୀମାନେ ଦୀର୍ଘ ପଚାଶ ବର୍ଷ ପରେ ମଧ୍ୟ ଏହା ସହିତ ସଂଶ୍ଳିଷ୍ଟ | ଓଡିଶାର ଗୀତିନାଟ୍ୟ ପରମ୍ପରାକୁ ପୁନର୍ଜୀବିତ କରିବାରେ ସଂସ୍କୃତିବିହାରର କର୍ମୀ ମାନଙ୍କର ପ୍ରଚେଷ୍ଟା ଓ ପରିଶ୍ରମ ଓଡିଶାର ଲୋକନାଟ୍ୟ ମହଲରେ ଜାଗରଣ ସୃଷ୍ଟି କରିଛି | ଓଡିଶାର ଗ୍ରାମ୍ୟାଞ୍ଚଳରେ ଏବେ ପୂର୍ବ ନାଟ୍ୟ ପରମ୍ପରା ଜୀବନ ପାଇଥିବା ଏ’ ପରିଶ୍ରମର ସୁଫଳ ସ୍ୱରୂପ | ଏହି ପୃଷ୍ଠା ଓ ଟିପ୍ପଣୀ ଜରିଆରେ ଆମେ ଏହି ଅନୁଷ୍ଠାନକୁ ବିଶ୍ଵ ସମକ୍ଷରେ ଉପସ୍ଥାପନ କରୁଅଛୁ |

ପୁନାର ଓଡିଆପ୍ରେମୀ ବନ୍ଧୁ ଶ୍ରୀ ସୁଧୀର ପଟେଲ ଏହି ପୃଷ୍ଠାର ପ୍ରାଣଦାତା | ତାଙ୍କର ଏହି ଅଯାଚିତ ସହଯୋଗ ନିମିତ୍ତ ସଂସ୍କୃତିବିହାର ଅନୁଷ୍ଠାନ ତାଙ୍କ ନିକଟରେ ଋଣୀ | କଟକ ସହରର ଅଗଣିତ ନାଗରିକ କଳାପ୍ରେମୀ, ଶିକ୍ଷକ, ଶିଳ୍ପୀ ଓ ଅଭିଭାବକ ସଂସ୍କୃତିବିହାରର ପ୍ରଚେଷ୍ଟାକୁ ଆଶୀର୍ବାଦ ଦେଇ ମୁକ୍ତ ହସ୍ତରେ ସାହାଯ୍ୟ କରିଛନ୍ତି | ସଂସ୍କୃତି ବିହାର ଅନୁଷ୍ଠାନ ସଭିଙ୍କଠାରେ କୃତଜ୍ଞତା ଜ୍ଞାପନ କରୁଛି | ସବୁ କର୍ମୀ ଓ ଶିଳ୍ପୀମାନଙ୍କର ଛବି ଏବଂ କାର୍ଯ୍ୟ ଏହି ପୃଷ୍ଠା ମାନଙ୍କରେ ରଖିବାର ପ୍ରସ୍ତାବ ରହିଛି | ଆମର ତ୍ରୁଟି ଏବଂ ଅନ୍ୟ କିଛି ଦୋଷ ମାର୍ଜନା ଲାଗି କ୍ଷମା ମାଗୁଛୁ |

 

ବିଜୟମୋହନ ମିଶ୍ର
ଲିଙ୍କନ୍, ମାସାଚୁସେଟ୍ସ୍, ଯୁକ୍ତରାଷ୍ଟ୍ର ଆମେରିକା
ସରୋଜକୁମାର ସିଂହ
ନାରାୟଣ ସିଂହ
ବୁଢିଠାକୁରାଣୀ, କଟକ, ଓଡିଶା, ଭାରତ